ଠକ୍ ଠକ୍......
ରମେଶ ଛାତିରେ ଛନକା ପଶିଲା । ରମେଶ ଥରି ଥରି ଡ଼୍ରଇଁ ରୁମକୁ ଆସିଲା । କାନ୍ଥରେ ଟଙ୍ଗା ହୋଇଥିବା ଘଡ଼ି ଅନାଇଲା । ଘଡ଼ିରେ ଗୋଟାଏ ବାଜିବାକୁ ଆଉ ମାତ୍ର କେଇଟା କ୍ଷଣ ବାକି ଥିଲା । ରମେଶ ସେମିତି ଘଡ଼ି ଉପରେ ନଜର ରଖିଥିଲା, ଘଡ଼ି ମଧ୍ୟ ଢ଼ଂ କରି ବାଜି ଉଠିଲା । ରମେଶ ପୁଣିଥରେ ଚମକି ପଡ଼ିଲା । ଚମକି ପଡ଼ି ଦୁଇ ପାଦ ମଧ୍ୟ ଘୁଞ୍ଚି ଯାଇଥିଲା ।
କବାଟର ଆରପଟରୁ ସେମିତି ଠକ୍ ଠକ୍ ଶବ୍ଦ ଶୁଭି ଚାଲିଥିଲା । ରମେଶ ଧିରେ ଧିରେ କବାଟ ପାଖକୁ ଗଲା । କବାଟର ଏପଟରୁ ଥାଇ ବଡ଼ ପାଟିରେ ଚିତ୍କାର କରି ପଚାରିଲା କିଏ ?
କବାଟର ଆରପଟରେ ଥିବା ଲୋକ ଜଣଙ୍କ ନିଜର ପରିଚୟ ଦେଲା ।
ପରିଚୟ ଶୁଣି ରମେଶ ଭାବିଲା ଆରେ ଏ ତ କୋୖଣସି ଅଜଣା ଅତିଥି ନୁହେଁ । ଇଏ ତ ହୋଉଛି ମୋ ପିଲାବେଳର ସାଥୀ ରାକେଶ । ଯାହା ସାଥେ ଧୂଳି ଖେଳ ଠାରୁ ଆରମ୍ଭ କରି ହକି ଯାଏଁ ସବୁକିଛି ଖେଳିଛି । କିନ୍ତୁ ଗ୍ରାଜୁଏସନ୍ ପରେ କେଉଁଠି ଉଭାନ ହୋଇ ଯାଇଥିଲା । ରମେଶ ଆଉ କାଳ ବିଳମ୍ବ ନକରି କବାଟ ଖୋଲିଲା ।
ହେଲେ ଏ କ'ଣ ଦେଖୁଚି ସେ ? ଦେହରେ ତାର ଥିଲା ରକ୍ତର ଛିଟା ଆଉ ହାତରେ ଥିଲା ଗୋଟିଏ ବନ୍ଧୁକ ।
ରମେଶ ଆଶ୍ଚର୍ଯ୍ୟ ହୋଇଗଲା । ଏ କ'ଣ ? ଏଇ କଣ ସେଇ ରାକେଶ ଯିଏ ଦଶମ ଶ୍ରେଣୀରେ ରାଜ୍ୟର ଶ୍ରେଷ୍ଠ ଦଶଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ଥିଲା । ଆଉ ରସାୟନ ବିଜ୍ଞାନରେ ସ୍ୱର୍ଣ୍ଣ ପଦକ ବିଜେତା ।
ଭିତରକୁ ଡ଼ାକିବୁନି ରମେଶ ?
ରାକେଶର ଡାକରେ ରମେଶର ଭାବନାର ଢ଼େଉରେ ପୁର୍ଣ୍ଣଚ୍ଛେଦ ପଡ଼ିଲା ।
ଆରେ ଆସେ ଆସେ । ତୋ ଆଉ ମୋ ଭିତରେ ଏ ନୈତିକତା ପୁଣି କେବେ ଆସିଲା ।
ରାକେଶକୁ ପାଛୋଟି ନେଲା । ଘର ଭିତରକୁ ପଶିବା କ୍ଷଣି ରାକେଶ ସ୍ନାନାଗାର ଭିତରକୁ ଗଲା ସ୍ନାନ କରିବା ପାଇଁ ।
ରମେଶ ଏସବୁ ଦେଖି ହତବାକ ହୋଇ ଯାଇଥିଲା । ସେ ଲଥ୍ କରି ବସି ପଡ଼ିଥିଲା ସୋଫା ଉପରେ । ସେ କ'ଣ କରିବ କ'ଣ ନ କରିବ କିଛି ଜାଣି ପାରିଲି ନାହିଁ । ମନ ଭିତରେ ଅନେକ ଦ୍ୱନ୍ଦ ଚାଲିଥିଲା । ଗୋଟିଏ ସାଧାରଣ ନାଗରିକର କର୍ତ୍ତବ୍ୟ ନିଭେଇବ ନା ବନ୍ଧୁତା ।
ରମେଶ ସେମିତି ସୋଫା ଉପରେ ବସିଥାଏ । ସେତେବେଳେ ରାକେଶ ସ୍ନାନାଗାର ଭିତରୁ ସ୍ନାନ ସାରି ବାହାରିଲା । ରମେଶ ତାକୁ ବଲବଲ କରି ଅନାଉ ଥାଏ ।
ରମେଶ ତାକୁ ଏମିତି ଅନେଇବାର କାରଣ ସେ ଜାଣି ପାରିଲା । ଆଉ କହିଲା -
ସବୁକିଛି କହିବି । କିନ୍ତୁ ତୋତେ ମୋର ଗୋଟିଏ କାମ କରିବା ପାଇଁ ହେବ । ରମେଶ ମୁଣ୍ଡ ଟୁଙ୍ଗାରି ରାକେଶର କଥାକୁ ସମର୍ଥନ ଜଣାଇଲା । ରାକେଶ କହିବାକୁ ଆରମ୍ଭ କଲା - ତୁ ଶୁଣିଥିବୁ ଞାନ ମଣିଷକୁ ଅମଣିଷରୁ ମଣିଷ କରାଏ ଭୂଲ୍ ଠିକ୍ ବିଚାରିବା ପାଇଁ ବୁଦ୍ଧି ବି ଦିଏ । କିନ୍ତୁ ଏହି ଞାନ ମୋତେ ଅମଣିଷ କରି ଗଢ଼ି ତୋଳିଛି
ଆଉ ମୋତେ ଗୋଟିଏ ଆତତାୟୀର ଆଖ୍ୟା ମଧ୍ୟ ଦେଇଛି । ସଜେଇ ଦେଇଛି ଗୋଟିଏ କୁଖ୍ୟାତ ଅପରାଧୀ ।
ରମେଶ ଆଶ୍ଚର୍ଯ୍ୟ ହୋଇ ପଚାରିଲା କିନ୍ତୁ କେମିତି ?
କହୁଚି କହୁଚି କହୁଚି । ସେଦିନ ମୁଁ ବାଣୀବିହାରରୁ ତରବର ହୋଇ ବାହାରିଥିଲି ରେଳଷ୍ଟେସନକୁ । କାରଣ ରେଳ ଆସିବାର ସମୟ ହୋଇ ଯାଇଥିଲା । ଟ୍ରାଫିକ୍ର ନିୟମରେ ଅଡ଼ୁଆ ସୁତା ପରି ଗୁଡ଼େଇ ହୋଇ ହୋଇ ପହଞ୍ଚିଥିଲି ରେଳଷ୍ଟେସନରେ ସୈାଭାଗ୍ୟ ବସତଃ ସେତିକି ବେଳକୁ ହିଁ ରେଳ ପହଞ୍ଚିଲା । ରେଳ ବଗିରୁ ଗୋଟିଏ ଝିଅ ଓହ୍ଲାଇଲା ।
ନୀଳ ରଙ୍ଗର ଜିନ୍ସ୍ ପ୍ୟାଣ୍ଟ୍ ସହ ନାଲି ରଙ୍ଗର ଟପ୍ ପିନ୍ଧିଥିଲା । ଆଉ ତାକୁ ଦେଖିବା ପରେ ମୋତେ ଲାଗିଲା ସତେ ଯେମିତି ମୋ ପାଇଁ ସମୟଟା ଅଟକି ଯାଇଛି । ମୋ ହୃଦୟ ଭିତରେ ପ୍ରଥମ ଥର ପାଇଁ କେହି ପଶିବାକୁ ଲାଗିଲା । କହିବାକୁ ଗଲେ ପ୍ରଥମ ଥର ପାଇଁ ମୁଁ ପ୍ରେମର ପରଶ ପାଇଥିଲି । କିନ୍ତୁ ମନର ଉଛୁଳା ପ୍ରୀତିର ସ୍ରୋତକୁ ସେହିଠାରେ ହିଁ ବନ୍ଧ ଦେଇ ଅଟକାଇବା ପରେ । ମୁଁ ସେ ଝିଅ ପାଖକୁ ଯାଇଥିଲି ।
ତେବେ ଯେତିକି ଯେତିକି ମୁଁ ତା ପାଖକୁ ଯାଉଥାଏ ସେତିକି ସେତିକି ମୋ ହୃଦୟର ସ୍ପନ୍ଦନ ବଢ଼ି ବଢ଼ି ଯାଉଥାଏ ।
ଗୋଟିଏ ଅଜଣା ଅତିଥି ହୃଦୟର ଏତେ ଗଭୀରତାକୁ ଚାଲିଯିବ ମୁଁ କେବେହେଁ ବିଶ୍ୱାସ କରି ନଥିଲି ।