ହୋସ୍ ଆସିଲା ପରେ ମୋ ଭିତରେ ମୋ "ହାର୍ଟ "ରେ ଅଜବ ଏକ ଅନୁଭବ ହେଉଥିଲା।ବୁଝି ପାରୁନାହିଁ "ହାର୍ଟ" ଟି କାହିଁକି ଏପରି ହରକତ୍ କରୁଛି।ହସ୍ପିଟାଲରୁ ଡିସଚାର୍ଚ୍ଚ ହୋଇ ଘରକୁ ଆସିଲି।ଖୋଜିଲି ସାମ୍ରାଟଙ୍କୁ।
ମାଆ ସମ୍ରାଟ କାହାନ୍ତି?
ବାବା ସମ୍ରାଟ?
ସମସ୍ତେ ଚୁପ୍।ଯେତେବେଳେ ଯାହା ପଚାରିଲେ ଏମାନେ ଚୁପ୍ ରୁହନ୍ତି କାହିଁକି ଯେ? ହଁ ସବୁଦିନ ତ ଏମିତି।ଇଏ କେଉଁ ନୂଆ କଥା କି ?
ସାମ୍ରାଟ କେବେ ମୋ ରୂପ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ।ତଥାପି ନିଜକୁ ସଜାଏ ଅଭିସାରିକା ଭାବେ।ହୁଏତ କେବେ ମୁନୀ ମନ ଢଳିବ, ହୁଏତ ମୋ ଭାଗ୍ୟରେ ପତି ସୁଖ ମିଳିବ।
ଦର୍ପଣ ଆଗରେ ନିଜକୁ ଦେଖୁଥିଲି। ଜିରୋ ସାଇଜ ଫିଗର୍। ଆହୁରି ଝଡି ଯାଇଛି ମେଡ଼ିକାଲ ରେ ପଡି।ସବୁ ଆଡେ ହାତ ମାରି ଶେଷରେ ଅଟକି ଗଲି ବାଁ ପଟ ଛାତି ପାଖେ।ହଲ୍ ଚଲ୍ ହୋଇ ଉଠିଲା କିଛି କ୍ଷଣ "ହାର୍ଟ " ଟି !ଆଖିରେ ଲୁହ ଟୋପେ ଜକେଇ ଆସିଲା ହୃଦ ସ୍ପନ୍ଦନକୁ ଅନୁଭବ କରି।
ସଭିଏ କୁହନ୍ତି ସ୍ନେହା ଟି ଠିକ୍ ରାଧା ପରି ଏକା ସମ୍ରାଟ କୁ ଛାଡି।ସମ୍ରାଟ ମୋ ସ୍ୱାମୀ, ପତି ପରମେଶ।ସବୁବେଳେ ଶାନ୍ତ ସ୍ନିଗ୍ଧ।କିଛି ଇଚ୍ଛାକୁ ମୋର ପୂରଣ କରିବାରେ ସଦା ବ୍ୟଗ୍ର।କିନ୍ତୁ ବର୍ଷେ ପାଖା ପାଖି ହେଲେ ବି ସହବାସ ସୁଖ କଣ ଜାଣିନି ମୁଁ। ଯେତେ ସୁନ୍ଦର ହୁଅ ନିଜ ସ୍ୱାମୀଙ୍କୁ ଯଦି ନିଜ ଆଡକୁ ଟାଣି ନ ପାରିଲ ସେ ସୁନ୍ଦର କେଉଁ କାମକୁ !
ଯୋଗୀ ମୁନୀଙ୍କୁ ଆକର୍ଷିତ କଲା ପରି ମୋ ଚେହେରା କାଳେ। କେତେ ପ୍ରଜାପତି ଉଡ଼ି ବୁଲୁଥିଲେ ମୋ ଚାରିପାଖ ଆଜକୁ ଠିକ୍ ବର୍ଷେ ପୂର୍ବେ।ଏବେ ବି ଦୁରେ ଦୁରେ ବୁଲନ୍ତି ମନ ଉଣା କରନ୍ତି ମୁଁ ସମ୍ରାଟଙ୍କର ହୋଇଗଲି ବୋଲି।ପବିତ୍ର ତ ତ ପାଗଳ ମୋ ପ୍ରେମ ଟିକେ ପାଇବା ପାଇଁ।
କିନ୍ତୁ ସମ୍ରାଟ ନିଆରା କାହିଁକି? ନା ମୋ ଦେହର ଭରା ଯୌବନ ନା ମୋ ସୁନ୍ଦର ଶରୀରର ଆକର୍ଷଣ ନା ମୋ ଆଖି ସମୁଦ୍ର ସମ୍ମୋହନରେ ଡୁବ ଦେବାର ସ୍ପୃହା ଅଛି ତାଙ୍କର।
ସମ୍ରାଟ ପୁରୁଷ ତ!! ବିଶ୍ବାମିତ୍ରଙ୍କର ତପ ଭଙ୍ଗ ହୋଇ ଥିଲା ଜଣେ ଅସାମାନ୍ୟା ସୁନ୍ଦରୀ ପାଇଁ।ସମ୍ରାଟ ତ ବିଶ୍ବାମିତ୍ରଙ୍କୁ ବି ବଳିଗଲେ।
କାହିଁକି ସମ୍ରାଟ ତୁମେ ଯୋଗୀ!
ଯଦି ସଂସାର ବିଷୟ ବାସନା ପ୍ରତି ତୁମର ବୈରାଗ୍ୟ ; ରହିଥାନ୍ତ ଅବିବାହିତ। କେଉଁ ଅଧିକାରରେ ପତି ସୋହାଗିନୀ ହେବାକୁ ସ୍ୱପ୍ନ ଦେଖୁଥିବା ଝିଅଟିର ଜୀବନ ନଷ୍ଟ କଲ ? ମୁଁ କିଏ ମନା କରିବାକୁ ତୁମେ ଯୋଗୀ ହୁଅ କି ବୈରାଗୀ।କିନ୍ତୁ ମୋତେ ଜୀବନ ସାଥୀ କରି ଏପରି ଉଦାସୀନତା ,ଏମିତି ଅଣ ଦେଖା କେମିତି ସହ୍ୟ କରି ପାରନ୍ତି!
ଝିଅଟିଏ ମୁଁ। ପତି ପ୍ରେମ ପାଇବା ମୋ ଅଧିକାର। ସଂସାର କରିବା, ପିଲାର ମାଆ ହେବା ମୋ ନାରୀ ଜନ୍ମର ସାର୍ଥକତା।ମାଆ କଣ ହେବି ଏବେ ବି ମୁଁ ଅନୁଢା କୁଆଁରୀ କନ୍ୟା।ତଫାତ ଏତିକି ମୁଁ ବିବାହିତା।ସାମ୍ରାଟଙ୍କ ନାଁରେ ସିନ୍ଦୁର,ମଙ୍ଗଳ ସୂତ୍ର ପିନ୍ଧୁଛି।ସାମ୍ରାଟଙ୍କ ସହ ଗୋଟିଏ ଘରେ ତ ରହୁଛି, କିନ୍ତୁ ରହିନି ହୃଦୟରେ କି ଜୀବନରେ। ମାଆ ଫୋନ୍ କରି ବୁଝୁଛି, "ତୁ ଖୁସିରେ ଅଛୁ ତ ମା ?"
ଏକମାତ୍ର ସନ୍ତାନ ମୋ ମାଆ ବାପାଙ୍କର ମୁଁ।କେମିତି କୁହନ୍ତି ମୁଁ ଖୁସିରେ ଆଦୌ ନାହିଁ ମାଆ ! କେମିତି ପ୍ରକାଶ କରନ୍ତି ଏବେ ସୁଦ୍ଧା କୁଆଁରୀ ବୋଲି !ସହି ପାରିବେ କି ସେମାନେ।ସହଜେ ବାବା ଙ୍କର ହାର୍ଟ ଷ୍ଟ୍ରୋକ ଗୋଟେ ହୋଇ ସାରିଛି।ମୋ ସଂସାର କଥା ଶୁଣିଲେ ସେ ବଞ୍ଚିବେ ତ!
ଶାଶୁ ଶଶୁର ,ସମ୍ରାଟ ଓ ମୋ ଭିତର ସମ୍ପର୍କ ବିଷୟରେ ଅବଗତ ହେଲେ ବି ନିରବ।ବହୁତ ସ୍ୱାର୍ଥପର ବି।ସ୍ନେହ ଆଦର କରନ୍ତି ସତ କିନ୍ତୁ ବାଗରେ କୁହନ୍ତି ଭଲ ବୋହୁ ଶାଶୁ ଘର ଗୁମର ପଦାରେ ପକାନ୍ତିନି।ଏ କହିବା ଅର୍ଥ ଏଇଆ ଯେ ମୁଁ ଭଲ ବୋହୁ ,ତାଙ୍କ ପୁଅଙ୍କ ଅନାଦର କାହା ଆଗେ ପ୍ରକାଶ ନ କରେ।
ଭଲ ପିନ୍ଧିବା କି ଭଲ ଖାଇବା କଣ ଆମ ଘରେ ଅଭାବ ଥିଲା ବୋଲି ମୋ ବାପାମାଆ ମୋତେ ବିବାହ ଦେଇଥିଲେ? କଣ କରିବି।ପ୍ରେମ ହିଁନ ଜୀବନକୁ ଜୀବନ କହି ହେବକି!କେମିତି ଜାଣିବି ସାମ୍ରାଟଙ୍କ ଉଦାସୀନତାର କାରଣ।
ସାମ୍ରାଟଙ୍କ ଅନାଦର ଭାବକୁ ଠଉରେଇ ଦିଅର ବିକ୍ରାନ୍ତ ଅନେକ ବାର କୁ ଇଙ୍ଗିତ କଲେଣି।ଭାଇ ସିନା ତୁମ ପରି ରୂପସୀ ନାରୀକୁ ପାଇ ସଦ୍ ବ୍ୟବହାର କରୁନି ମୋତେ ଖାଲି ଗ୍ରୀନ ସିଗିନାଲ୍ ଦେଇ ଦିଅ ଦେଖିବ କି ସୁନ୍ଦର ବ୍ୟବହାର କରିବି ତୁମକୁ।
ମୁଁ ଗାରେଡେଇ ଚାହେଁ।ମୋ ଆଖିରେ ଦପ୍ ଦପ୍ ନିଆଁ ଜଳି ଉଠେ।ପଛ ପଟମୁଣ୍ଡରେ ହାତ ମାରି ବିକ୍ରାନ୍ତ କୁହନ୍ତି ସତ କୁହ ଭାଉଜ ଜଳୁନ ତୁମେ ଅହରହ ସ୍ୱାମୀ ସୁଖ ନ ପାଇବା ନିଆଁରେ! ମୁଁ ତ ରାଜି ସେ ନିଆଁକୁ ଲିଭେଇବାକୁ।ଏତେ ଅରାଜି କାହିଁକି?
ବହୁ ଥର ଭାବିଛି ମୋତେ ଆଦର କରୁନଥିବା ସ୍ୱାମୀ ପାଇଁ ମୋର ଏତେ ଅପେକ୍ଷା କାହିଁକି? ବିକ୍ରାନ୍ତ କିଛି ଭୁଲ କହୁ ନାହାନ୍ତି।ଚାହିଁଲେ ମୁଁ ବି ଜୀବନକୁ ଉପଭୋଗ କରିପାରିବି।ଦେହର ଚାହିଁବା ପାଗଳ କରିଦେଉଛି ବେଳେବେଳେ।ହୋଇ ଯିବି ବିକ୍ରାନ୍ତର ! ଛାଡ଼ିଦେବି ସାମ୍ରାଟଙ୍କୁ !
ଓହୋ କଣ କରିବି, କଣ ନ କରିବି ଦୋ ଛକିରେ ମୁଁ କେବଳ ହନ୍ତ ସନ୍ତ ହେଉଥିଲି।ବିକ୍ରାନ୍ତ ମୋତେ ବିଭ୍ରାନ୍ତ କରିବାକୁ ସବୁବେଳେ ଚେଷ୍ଟାରେ ଥିଲେ।ସମ୍ରାଟ କିନ୍ତୁ ନିର୍ଲିପ୍ତ।
ବୁଝି ପାରେନି ଏଇ ସମ୍ରାଟ ନାମକ ଅଦ୍ଭୁତ ଜୀବଟିକୁ।ବୁଲେଇ ନେବା,ପସନ୍ଦ ମୁତାବକ ସପିଙ୍ଗ କରେଇବା,ଯାହା ଚାହିଁବ ସବୁ ଦେବା ସ୍ନେହୀ ମଣିଷଟିଏ।କିନ୍ତୁ ସ୍ୱାମୀ ସୁଖ ଦେବାରେ ପୁରା କାର୍ପଣ୍ୟ।କଣ ଏହା ପଛର କାରଣ! ଡାକ୍ତରଙ୍କ ପରାମର୍ଶ କରେଇ ନେବା ଉଚିତ ଦିନେ କହିଲି ମୁଁ।
ଡାକ୍ତର !କାହିଁକି ?
ଅଲଜ୍ୟାଙ୍କ ପରି କହିଲି ବିବାହିତ ହୋଇ କଣ ମୁଁ କୁଆଁରୀ ଜୀବନ ସହି ପାରିବି ?
ହଁ ଯିବା କହି ମୋତେ ଯେତେ ଜୋରେ ଜାବୁଡି ଧରନ୍ତି,ସେତେ ଶୀଘ୍ର ଶୀତଳ ହୋଇ ଯାଆନ୍ତି।ମୁଁ ପାଣିରୁ ବାହାରି ଶୁଖିଲରେ ପଢିବା ମାଛ ପରି ଛଟପଟ ହୁଏ ଭିତରେ ଅପ୍ରାପ୍ତି ଯନ୍ତ୍ରଣାରେ।ସେ ଉଠି ଯାଆନ୍ତି, ପାଣି ପିଅନ୍ତି ଓ କୁହନ୍ତି ଆଜି ନୁହେଁ।ସେଇ ଆଜିଟି କେବେ ମୋ ଜୀବନରେ ଆସେନି।ସମ୍ରାଟ ମୋତେ ପିଠି କରି ଘୁଙ୍ଗୁଡ଼ି ପେଳନ୍ତି ବେଡ୍ ଧରୁ ଧରୁ।
ଦିନେ ଏକ ଅଶୋଭନୀୟ ଘଟଣା ଘଟିଲା। ରାତି ଏଗାର ଖାଇ ପିଇ ସଭିଏଁ ଶୋଇ ପଡିଲେଣି।ସମ୍ରାଟ ତାଙ୍କ ଲ୍ୟାପରେ କି କାମରେ ବ୍ୟସ୍ତ। କଲିଂ ବେଲ୍ ବାଜିଲା।ଡୋର ଖୋଲିବାରୁ ବିକ୍ରାନ୍ତ ହଠାତ ମୋ ହାତ ଧରି ଟାଣି ନେଇ ତାଙ୍କ ଛାତିରେ ଜାକି ଧରିଲେ।ମଦ ଗନ୍ଧରେ ମୋର ଅଇ ଉଠାଉ ଥାଏ।ନିଶାରେ ଚୁର୍ ହୋଇ ବିକ୍ରାନ୍ତ କହିଲେ, ସବୁଦିନ ମୋ ହାବୁଡ଼ରୁ ଖସି ଯାଉଛ।ଆଜି ଛାଡିବିନି।ମୁଁ ଚିତ୍କାର କଲି ସମ୍ରାଟ ମୋତେ ବଞ୍ଚାଅ।ମା ବାବା...
କେହି ଆସୁ ନାହାନ୍ତି ମୋ ପାଖକୁ !!ସାମ୍ରାଟଙ୍କ ପାଖେ ମୋ ଆକୁଳ ଡାକ ପହଞ୍ଚି ପାରୁ ନଥିଲା କି ସେ ଜାଣି ଜାଣି ଆସୁ ନଥିଲେ ମୁଁ ବୁଝି ପାରୁ ନଥିଲି।ଶାଶୁ ଶଶୁର ଘର ଲାଇଟ ଜଳିଲା, କିନ୍ତୁ ଡୋର୍ ଖୋଲିଲା ନାହିଁ !!
ନିଜ ଘର ଭିତରେ ନିଜ ଦିଅର ମନ ପୁରିବା ପର୍ଯ୍ୟନ୍ତ ପଶୁପରି ମୋତେ ଭୋଗ କଲେ।ଆଶ୍ଚର୍ଯ୍ୟ କେହି ଏ କଥାର ପ୍ରତିବାଦ କଲେନି।ବରଂ ଚୁପ୍ ଚାପ୍ କିଛି କଥା ହେଉଥିଲେ,ଖୁସି ଥିଲେ ବି।
ପ୍ରଥମ ଥର ମୋ କୁମାରୀତ୍ବ ହରଣ ହେଲା ଅତି ଜଘନ୍ୟ ଭାବେ। ନିଶାରେ ଥିବା ମଣିଷ ଚାରାରେ କଣ ଥାଏ ଯେ ଯାହାକୁ କ୍ଷତ ବିକ୍ଷତ କରୁଛି ସେ ଜଣେ ମଣିଷ।ଲୁକାୟିତ ଅଙ୍ଗ ପ୍ରତ୍ୟେଙ୍ଗ ମୋର ଲହୁ ଲୁହାଣ।ମନରେ ଘୃଣା।ଉଠିବାର ଜୋର ନାହିଁ।
ବିକ୍ରାନ୍ତ ମୂର୍କି ମୂର୍କି ହସୁଛନ୍ତି। ସମ୍ରାଟ ସକାଳୁ ଉଭାନ୍ ।
ଶାଶୁ ଶଶୁର ଚୁପ୍।
କଣ ଘଟୁଛି ମୋ ସହ।କଣ ଚାଲିଛି ଏ ଘର ଲୋକ ମାନଙ୍କ ମସ୍ତିଷ୍କରେ ! ଗୋଟିଏ ମୁହୂର୍ତ୍ତ ଏ ଘରେ ରହିବାକୁ ମୋର ଇଚ୍ଛା ହେଲାନି।
ଦୁଇ ଦିନ ପରେ କଷ୍ଟେ ମଷ୍ଟେ ଉଠି ମୁଁ ଗୋଟେ ନିଷ୍ପତ୍ତି ନେଲି।ଏ ଘରେ ମୋର ରହିବା ଅସମ୍ଭବ।ମୋତେ ଭଲ ବୋହୁର ଖୋଳପା ଫିଙ୍ଗିବାକୁ ପଡିବ।ଏ ଘରେ ନ ରହିବା ନିଶ୍ଚତ।ବାପ ଘରକୁ ତ ଯାଇ ପାରିବିନି।ଯିବି ତ କେଉଁଠି କୁ?
ମନେ ପଡ଼ିଲା ପବିତ୍ର କଥା।ପବିତ୍ର ମୋ ବନ୍ଧୁ ଯେ ମୋତେ ଖୁବ୍ ଭଲ ପାଉ ଥିଲା।କିନ୍ତୁ ଅଜାତି ଥିବାରୁ ମୋ ମାଆ ବାପା ତାଙ୍କ ଜାତି ସମ୍ରାଟ ମିଶ୍ରଙ୍କ ସହ ତରବରିଆ ଭାବେ ବିବାହ କରିଦେଲେ।ବାପାଙ୍କ ପ୍ରଥମ ଆଟାକ୍ ମୋରି ପାଇଁ ଆସିଥିଲା।ଯେଉଁ ଦିନ ପବିତ୍ର ସହ ଆବଶ୍ୟକ ପଡ଼ିଲେ ଘର ଛାଡ଼ି ଚାଲିଯିବି ଘୋଷଣା କରି ଥିଲି।ଖୁବ୍ ତୁମ୍ଭି ତୋଫାନ ହୋଇଥିଲା ଘରେ।ବାବାଙ୍କ ଆଟାକ୍ ଓ ମେଡ଼ିକାଲ୍ ରେ ଆଡ୍ମିସନ୍ ମୋ ସିଦ୍ଧାନ୍ତ ବଦଳେଇ ଦେଲା।
ମାଆ ର ଆଖି ଲୁହ "ମୋ ସିନ୍ଦୁର ବଞ୍ଚାଇ ଦେ" ର ଆକୁଳ ନିବେଦନ ମୋତେ ପବିତ୍ର ପ୍ରେମକୁ ନିଜ ହାତରେ ହତ୍ୟା କରି ସାମ୍ରାଟଙ୍କର ହେବାକୁ ବାଧ୍ୟ କରିଥିଲା। ମୁଁ ବି ସାମ୍ରାଟଙ୍କୁ ନେଇ ସନ୍ତୁଷ୍ଟ ହେବାର ଆପ୍ରାଣ ଚେଷ୍ଟାରେ ଥିଲି।ମାତ୍ର ଏକ ବର୍ଷ ଭିତରେ ନା ସମ୍ରାଟ ମୋତେ ଆପଣାର କଲେ ନା ପବିତ୍ର ମୋ ଭିତରୁ ଯାଇ ପାରିଲେ । ସାମ୍ରାଟଙ୍କ ଅନାଦର ଯୋଗୁଁ ମୋ ଭିତରକୁ ପବିତ୍ର ଆପେ ଆପେ ପଶି ଆସୁଥିଲେ।ଗୋଟିଏ ବର୍ଷ ଭିତରେ ଥରଟିଏ ମୁଁ ପବିତ୍ର ସହ କଥା ହୋଇନି। କାଳେ ଦୁର୍ବଳ ମୁହୂର୍ତ୍ତ ମୋତେ ଅସହାୟ କରିଦେବ।ଦୁଃଖରେ ଥିଲେ ପ୍ରିୟ ମଣିଷ ପାଖେ ଇଡି ହୋଇଯିବାକୁ ମନ ଚାହେଁ।ଏଣୁ ଚାବୁକ ମାରି ନିଜକୁ ଶାସନ କରି ପଵିତ୍ରଙ୍କ ପାଖରୁ ଦୁରେଇ ରଖିଥିଲି।
ପବିତ୍ର ଏବେ ବି ମୋ ବାଟ ଅନେଇଁ ରହିଛି।"ଚାଲିଯିବି ସବୁ ଡୋରି ଛିଡାଇ ,ସବୁ ସମ୍ବିଧାନ ଭାଙ୍ଗି ପଵିତ୍ରଙ୍କ ପାଖକୁ ଚିନ୍ତା ମୋତେ ଅଜଗର ପରି ଗିଳି ଅସହଜ କଲା।"ଆଉ ନୁହେଁ ।ସବୁ ଚେଷ୍ଟା ମୋର ବ୍ୟର୍ଥ। ମୋତେ ମୋ ବାଟ ଦେଖିବାକୁ ପଡିବ।ଏ ଅମଣିଷ ପଶୁଙ୍କ କବଳରୁ ନିଜକୁ ରକ୍ଷା କରିବାକୁ ପଡିବ।
ମୋ ପ୍ୟାକିଙ୍ଗ ଦେଖି ଶାଶୁ କଅଁଳଲେଇ କହିଲେ, କୁଆଡେ ଯିବୁ କି ସ୍ନେହା ?ମୁଁ ଅବିବେକି ଲୋକଙ୍କ ସହ କଥା ହେବାକୁ ପସନ୍ଦ କରୁ ନଥିଲି।ମୋ ହାତ ଧରି ପକେଇ ଶାଶୁ କହିଲେ, କ୍ଷମା କରିବୁ ସ୍ନେହା ସବୁ ଜାଣି ବି ଆମେ ଚୁପ୍ କାହିଁକି ତୁ ଭାବୁଥିବୁ।
ସେତିକି ଅସହାୟ ନଥିଲେ ବଡ଼ପୁଅର ବୋହୂକୁ ସାନ ପୁଅ ଅତ୍ୟାଚାର କରୁ ଆମେ କଣ ଚାହିଁ ଥାନ୍ତୁ?ଗୋଟେ ସାଂଘାତିକ ସତ୍ୟ ଆମେ ଲୁଚାଇ ରଖିଛୁ ତୋ ଠାରୁ।ସତରେ ସମ୍ରାଟ ସହବାସ ସୁଖ ଦେବାକୁ ଅସମର୍ଥ ପୁରୁଷ ଟିଏ।କିନ୍ତୁ ସମ୍ରାଟ ପରି ଅତି ଗୁଣର ମଣିଷ ଏ ସଂସାରରେ ମିଳିବା କଷ୍ଟ।ଉତ୍ତମ ପୁତ୍ର ସେ।ଖୁବ୍ ଭଲ ପାଉ ଆମେ ତାକୁ।ଅନ୍ଧ ଭାବେ ତାର ସମସ୍ତ ଇଚ୍ଛା ପୁରୁଣ କରୁ ଆମେ।ଗୋଟିଏ ଆକ୍ସିଡେଣ୍ଟ୍ ରେ ସେ ତାର ପୁରୁଷତ୍ୱ ହରେଇଛି।ଡକ୍ଟର କହିଥିଲେ ହୁଏତ ସ୍ତ୍ରୀ ପାଖେ ରହିଲେ କିଛି ଉନ୍ନତି ଆସିପାରେ।ମାତ୍ର ମନେରଖ ପିଲା ଜନ୍ମ କରିବା ପୁରୁଷ ଆଉ ସମ୍ରାଟ ହୋଇ ପାରିବ ନାହିଁ।
ଚଡକ ପଡିଗଲା ଆମ ଉପରେ।କି ସୁନ୍ଦର ଗୁଣର ପୁଅର ଭାଗ୍ୟ ପୁଣି ଏମିତି !!
ଈଶ୍ବରଙ୍କ ଇଚ୍ଛା ଭାବି ରହିଗଲା ସମ୍ରାଟ ନିଜକୁ ବୁଝାଇ।କିନ୍ତୁ ଠିକ୍ ତେତିଶି ବର୍ଷ ବୟସରେ ସେ ଆମକୁ ହାତ ଯୋଡି କାନ୍ଦି କାନ୍ଦି କହିଲା, ମୁଁ ସଂସାର କରିବାକୁ ଚାହେଁ।କାହାର ସ୍ୱାମୀ ହେବାକୁ ଚାହେଁ କେହି ମୋତେ ପାପା ଡାକୁ ବୋଲି ଇଚ୍ଛା କରେ ବାବା।
ତା କାନ୍ଦ ତା ଅକୁଳ ଭାଵ ଆମେ ସହି ପାରିଲୁନି।ପୁଅଟି ଆମର ଦେଖିବାକୁ ହିରୋ ପରି।ଉଚ୍ଚ ଶିକ୍ଷିତ।ବଡ଼ ଅଫିସର୍ ଓ ମୋଟା ଅଙ୍କର ଦରମା ପାଏ।ଝିଅଟିଏ ଅଭାବ ହେବନି।ଅତି ସ୍ଵାର୍ଥପର ଆମେରେ ମା।ନିଜ ପୁଅର ଅନୈତିକ ଇଚ୍ଛା ଟିଏ ପୁରୁଣ କରିବାକୁ ତୋ ପରି ହୀରା ଭଳି ଝିଅର ଜୀବନ ଆମେ ନଷ୍ଟ କଲୁ।ଏତିକିରେ ଆମ ଅପରାଧ ସଇଲା ନାହିଁ।ଵିକ୍ରାନ୍ତ କୁ ଆମେ ହିଁ ଉସ୍କେଇଥିଲୁ ତୋତେ ପାଇବାକୁ।ନଚେତ ସମ୍ରାଟ ବାପା ଡାକ ଶୁଣିବ କେମିତି?
ଆଜି ଆମେ ଆମ ଭୁଲ୍ ବୁଝି ପାରିଛୁ।କୃତକର୍ମର ପ୍ରାୟଶ୍ଚିତ କରିବାକୁ ବି ଚାହୁଁଛୁ।ତୁ ଯଦି ଚାହିଁବୁ ବିକ୍ରାନ୍ତ ସହ ତୋର ଆମେ ବିବାହ କରିଦେବୁ।ସମ୍ରାଟ ବି ଏଇ ବର୍ଷକ ଭିତରେ ତୋତେ ନୀରବରେ ଜଳିବା ଦେଖି ମନ ସ୍ଥିର କରି ସାରିଛି;ସେ ତୋତେ ଡିଭୋର୍ସ ଦେଇଦେବ।କହ ମା ଆମକୁ କ୍ଷମା କରିବୁନି ?
କ୍ଷମା ! ପୁଣି ତୁମ ପରି ବାବା ମାଆ ଙ୍କୁ ! ଛିଃ , ଘୃଣାରେ ଥୁ କରି ପୋତି ଦେବାକୁ ଇଚ୍ଛା ହେଲା ମୋର।କିଛି ନ କହି ନିରବ ରହିଲି।ଏତେ ଷଡଯନ୍ତ୍ର କରିପାର ନିଜ ପୁଅର ଖୁସି ପାଇଁ!ଗୋଟେ ଝିଅ ଜୀବନ ସହ ଖେଳି ପାର!! ଆଉ ସମ୍ରାଟ!
ପୁରୁଷ ମନ ଶରୀର ନେଇ ଗୋଟେ ଅସମର୍ଥ ସ୍ୱାମୀ! ରୁଗ୍ଣ ମାନସିକତା ଅବସାଦ ଗ୍ରସ୍ତ ମଣିଷ ଟିକୁ ମୁଁ ଆଜି ଯାଏ ସ୍ୱାମୀ ଭାବେ ବରଦାସ୍ତ କରୁଥିଲି କେମିତି!ରାଗରେ ଗୋଟା ସୁଦ୍ଧା ଥରୁଥିଲି ।ପୋଲିସରେ ଦେବି ସପରିବାରଙ୍କୁ! ମିଡିଆରେ ଏମାନଙ୍କ ପର୍ଦା ଫାଶ କରିବି !ଓଃ କଣ କରିବି ,ପାଗଳ ହୋଇଯିବି ମୁଁ।ନଥ୍ କରି ତଳେ ବସି ପଡ଼ି ଜୋର୍ ରେ କାନ୍ଦି ବାକୁ ଲାଗିଲି।
ସମ୍ରାଟ ଠିକ୍ ଏତିକି ବେଳେ ଆସି ମୋ ଗୋଡ଼ ତଳେ ପଡି କହିଲେ, ସବୁ ଦୋଷ ମୋର ସ୍ନେହା। ମୋତେ କ୍ଷମା କର। ଆଉ ନିଅ ଏ ଡିଭୋର୍ସ ପେପର୍।ନିଜ ଇଚ୍ଛା ର ଜୀବନ ବଞ୍ଚ।ମୁଁ ଗୋଟିଏ ବର୍ଷ ତୁମ ଜୀବନକୁ ନଷ୍ଟ କରିଛି।ଏଥିପାଇଁ ଯେଉଁ ଦଣ୍ଡ ଦେବ ମୁଁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି।
ଦଣ୍ଡ! କେଉଁ ଦଣ୍ଡ ତୁମ ପାପର ଭରଣା କରି ପାରିବ! ତୁମେ ଦଣ୍ଡିତ ହେଲେ ମୁଁ କଣ ଆଉ କୁଆଁରୀ ଅବିବାହିତ ଝିଅ ହୋଇ ପାରିବି? ନା ଜୀବନରେ କେବେ କେଉଁ ମଣିଷକୁ ବିଶ୍ବାସ କରି ପାରିବି ?
ହଁ ଏଇ ଦଣ୍ଡ ଦେଉଛି ପ୍ରତି ମୁହୂର୍ତ୍ତରେ ତୁମେ ମୋତେ ବିକ୍ରାନ୍ତ ଭୋଗ କରୁଥିବା ଆଖିରେ ଦେଖିବ ଆଉ କିଛି କରି ପାରୁ ନଥିବ।ତୁମରି ଆଗରେ ମୁଁ ବିକ୍ରାନ୍ତ ସହ ହସ ପଉରଷ ହେଉଥିବି।ମୁଁ ହସୁଥିବି, ତୁମେ ନିଃଶବ୍ଦେ ରକ୍ତ କାନ୍ଦୁଥିବ ।ତୁମକୁ ମୁଁ ଘୃଣା କରେ ସମ୍ରାଟ।
ପାରିବ ଏ ଦଣ୍ଡ ସହି ସମ୍ରାଟ!!
ନା ସ୍ନେହା ତୁମେ ମୋର।ବିକ୍ରାନ୍ତ ସହ ମୁଁ ତୁମକୁ ବାଣ୍ଟି ପାରିବି ନାହିଁ । ତା ପୂର୍ବରୁ "ମୁଁ କହି ପଏଜନ୍ ବୋତଲଟିଏ ନିଜ ପାଟି ପାଖକୁ ନେଇ ଖୋଲିଲେ ସମ୍ରାଟ ।"
ହେ ସ୍ୱାର୍ଥାନ୍ଧ ଅବିବେକି ମଣିଷ ! ତୁମେ ସୁସାଇଡ଼ କଲେ ବି ନିନ୍ଦା ମୋର।ସଭିଏଁ କହିବେ ନିଜ ସ୍ତ୍ରୀ ସାନ ଭାଇ ସହ ସମ୍ପର୍କ ରଖିବାରୁ ସମ୍ରାଟ ଲୋକ ଲଜ୍ଜା ସହି ନ ପାରି ଆତ୍ମହତ୍ୟା କଲା । ତୁମେ କଣ ଭାବୁଛ, ଏ ଅପବାଦ ବି ବିନା ଦୋଷରେ ମୁଁ ମୁଣ୍ଡାଇବି? ବରଂ ଭଲ ମୋତେ ଦିଅ ସେ ପଏଜନ୍ ମୁଁ ଏ ଅଶାନ୍ତ ଜୀବନରୁ ମୁକ୍ତି ପାଇଯାଏ।ବହୁତ ହୋଇଗଲା ମୋ ସ୍ୱାମୀ,ଶାଶୁଘର ସୁଖ।
ମୁଁ ମୋ ହୋସ୍ ହଜେଇ ଦେଇଥିଲି।ସମ୍ରାଟ ହାତରୁ ଶିଶିଟି ଛଡେଇ ଆଣି ଏକାଥରେ ବୋତଲଯାକ ବିଷ ପିଇ ଦେଲି।
ତାପରେ କଣ ହୋଇଛି ମୁଁ ଜାଣିନି। ହୋସ୍ ଆସିଲା ବେଳକୁ ଦେଖିଲି ପବିତ୍ର ମୋ ପାଖରେ ମୋ ହାତ ଧରି ବସିଥିଲେ।ପାଖରେ ଶାଶୁ ଶଶୁର।ମୋ ଆଖି ସାମ୍ରାଟଙ୍କୁ ଖୋଜୁଥିଲା।
ତିନି ମାସ ପରେ ପ୍ରଥମ ଶବ୍ଦ ମୋର ସମ୍ରାଟ ବାହାରିଥିଲା। ହୃତ ସ୍ପନ୍ଦନ ପଡିଲା ଉଠିଲା ଧକ୍ ଧକ୍ ହୋଇ ଜୋରେ।
ସାମ୍ରାଟଙ୍କୁ ବିବାହ କରିଥିଲି।ପଵିତ୍ରକୁ ଭୁଲି ତାଙ୍କ ସହ ସଂସାର କରିବା ବାସନା ଥିଲା ମୋର।କିନ୍ତୁ ସବୁ ସ୍ୱପ୍ନ, ଆଶା କେବଳ ଅବାସ୍ତବ ହୋଇ ରହିଗଲେ।ତେବେ ବି ମୋ ଆଖି ସମ୍ରାଟଙ୍କୁ ଖୋଜୁଥିଲା।
ଶାଶୁ କାନ୍ଦି କାନ୍ଦି କହିଲେ ତିନି ମାସ ହୋଇଗଲାଣି ୟା ଭିତରେ।ବିଷ ଦ୍ୱାରା ତୋ ହୋସ୍ ଆସିଲାନି କି ହାର୍ଟ କାମ କଲାନି।ସମ୍ରାଟ ପାଗଳ ପ୍ରାୟ ହୋଇ ତୋରି ପାଖରେ ଥିଲା । ଦିନେ ଗାଡି ଚଲାଉ ଚଲାଉ ସିଭିଅର୍ ଆକ୍ସିଡେଣ୍ଟ୍ ହେଲା।ମରିବା ପୂର୍ବରୁ କହି ଥିଲା ତା "ହାର୍ଟ "ତୋତେ ଡୋନେଟ୍ କରି ତା ଅପରାଧର ପ୍ରାୟଶ୍ଚିତ କରିବାକୁ।ସେ କହିଥିଲା "ସ୍ନେହାକୁ କହିବ ମାଆ ମୁଁ ତାକୁ ଖୁବ୍ ଭଲ ପାଏ । ତା ହୃଦୟରେ ମୁଁ ସବୁଦିନ ବଞ୍ଚିବି ତାର ହୋଇ।"
ତା ମାନେ ସାମ୍ରାଟଙ୍କ ହାର୍ଟ ମୋ ଭିତରେ!!
ଓଃ ସମ୍ରାଟ କହି ଆଖି ବୁଜି ଛାତି ଉପରେ ହାତ ରଖି ମୁଁ ଅନୁଭବ କରୁଥିଲି ସାମ୍ରାଟଙ୍କୁ। "ହାର୍ଟ" ର୍ ଧକ୍ ଧକ୍ ଶବ୍ଦ ଭିତରେ ସମ୍ରାଟ ଯେପରି କହୁଥିଲେ, "ଆଇ ଲଭ୍ ୟୁ ସ୍ନେହା।"